Unknown

 

 

 

 

 

 

 

 

 

ଦୀନଜନ ଜଣାଣ ଚଉତିଶା

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର

 

 

(କବିଙ୍କର ଏ ଚଉତିଶାଟି ଏକ ଜଣାଣ । ପ୍ରଭୁଙ୍କ ନିକଟରେ ଭକ୍ତର ଆକୁଳ ନିବେଦନ ଏହାର ନିର୍ଯ୍ୟାସ । ଭଗବାନଙ୍କ ଅପାର ମହିମାରେ ବିମୋହିତ କବି । ସୁନ୍ଦର, ସରଳ ଭାଷା ଜଣାଣଟି କ୍ଷୁଦ୍ର ହେଲେ ହେଁ ଏଥିରେ ଚଉତିଶାର ଲକ୍ଷଣ ସ୍ପଷ୍ଟ ଭାବେ ଫୁଟି ଉଠିଛି । କବିଙ୍କ ପାଣ୍ଡିତ୍ୟ ଓ କବିତ୍ୱର ପରାକାଷ୍ଠା ଆମେ ଜଣାଣଟିରେ ଦେଖୁଁ ।)

 

(ରାଗ-ଶୋକ କାମୋଦୀ)

କୃପାସିନ୍ଧୁ-ଦୀନବନ୍ଧୁ-ଶ୍ରୀଛାମୁରେ

 

ଜଣାଉଛି ଅପରାଧୀ ଦୀନ

 

ଖେଦ-ଜଳଧିରେ ଭାସି ମୁଁ ଯାଉଛି

 

ତ୍ରାହିକର ହୋଇ ସୁପ୍ରସନ୍ନ

 

ଆହେ ଗିରିଧର,

 

ଘୋଷଣା ବାଜୁଛି ତିନିପୁର,

 

ଉଡ଼ୁଛି କେତନ ପତିତପାବନ

 

ଶରଣସୋଦର ବିଶ୍ୱମ୍ଭର

।୧।

 

 

ଚରାଚର-ଚରଚାଇତ ଚଞ୍ଚଳା-

 

ପତି ଚଉବର୍ଗଦାନୀ ତୁମ୍ଭେ

 

ଛାଡ଼ି ସବୁ ଆଶା କରିଛି ଭରସା

 

ଏହି ଗୁଣମାନ ଧରି ଦମ୍ଭେ

 

ଆହେ ଜନାର୍ଦ୍ଦନ,

 

ଝଟତି ନହେଲେ ସୁପ୍ରନ୍ନ,

 

ନିର୍ମଳ ଯଶ-କଳାନିଧି ଅଙ୍କରେ

 

କଳଙ୍କ ଲାଗିଯିବଟି ଜାଣ

।୨।

 

 

ଟାଣକରି କହୁଥାଇ ମହାପ୍ରଭୁ

 

ଅଖିଳ କୋଟି ବ୍ରହ୍ମଣ୍ଡେଶ୍ୱର

 

ଠିକେ ଏଥର ନିଶ୍ଚୟ ହସିବେଟି

 

ପ୍ରଭୁଙ୍କର ଦେଖି ଅବିଚାର

 

ଆହେ ଡରହରା,

 

ଢାଳେ କଲ ମୋତେ ପର ପରା,

 

ଅସହଣୀ ଜନ ତୁଣ୍ଡେ ଶୁଣାଯିବ

 

ପ୍ରଭୁ ହେଲେ ଅନୁଗତମରା

।୩।

 

ଭାବାର୍ଥ- (୧-୩) କବି ଏଠାରେ ଦୀନଜନ ବନ୍ଧୁ, ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହୁଛନ୍ତି- ହେ କୃପାସିନ୍ଧୁ, ଦୀନବନ୍ଧୁ, ତୁମ ଶ୍ରୀଛାମୁରେ ଏ ଅପରାଧୀ ଦୀନ ଦୁଃଖ ଜଣାଉଛି । ଦୁଃଖ ଯନ୍ତ୍ରଣାର ସାଗରରେ ମୁଁ ଭାସି ଯାଉଛି । ସୁପ୍ରସନ୍ନ ହୋଇ ମୋତେ ଉଦ୍ଧାର କର । ହେ ଗିରିଧର, ତୁମର ମହିମା ତିନିପୁରରେ ଘୋଷିତ । ହେ ଶରଣ ରକ୍ଷକ ପ୍ରଭୁ ବିଶ୍ବମ୍ବର, ତୁମର ପତିତପାବନ ବାନା ବିଶ୍ୱବ୍ରହ୍ମାଣ୍ଡରେ ଉଡ଼ୁଛି । ହେ ପ୍ରଭୁ କମଳାର ପତି, ଚଉବର୍ଗ ଦାତା, ସମସ୍ତ ଆଶା ଛାଡ଼ି ତୁମ ପାଦ ତଳେ ଆଶ୍ରୟ ନେବାକୁ ମନ ମଧ୍ୟରେ ଦମ୍ଭ ବାନ୍ଧିଛି । ହେ ଜନାର୍ଦ୍ଦନ, ମୋ ପ୍ରତି ସୁପ୍ରସନ୍ନ ହୁଅ-। ଏହା ନ ହେଲେ ତୁମର ନିର୍ମଳ ଯଶ ଚନ୍ଦ୍ର ଦେହରେ କଳଙ୍କ ଲାଗିଯିବ । ହେ ଅଖିଳକୋଟି ବ୍ରହ୍ମାଣ୍ଡ ଈଶ୍ୱର, ହେ ମହାପ୍ରଭୁ, ମୁଁ ଦୃଢ଼ ଭାବରେ କହୁଛି, ପ୍ରଭୁ ଯଦି ଅକରୁଣା କରନ୍ତି, ଦୀନଜନର ଡାକ ନ ଶୁଣନ୍ତି, ତେବେ ଜଗତଜନ ନିଶ୍ଚୟ ହସିବେ । ହେ ପ୍ରଭୁ ଭୟନିବାରଣକାରୀ, ମୋତେ ପର କରି ଦେଉଛ । ଏହା ଶୁଣିଲେ ଜଗତର ଲୋକେ କହିବେ, ପ୍ରଭୁ ଅନୁଗତ ଲୋକଙ୍କୁ ମାରୁଛନ୍ତି-

 

ତାପତ୍ରୟହରା ମୁକତି ପସରା

 

ଅଗାଧ ସମୁଦ୍ର ମହାମେରୁ

 

ସ୍ଥାଣୁର ଗର୍ବ ଲବକେ ଦଳିପାର

 

ଟିକାକେ ଦୂବକୁ କର ଦାରୁ

 

ଆହେ ଦୀନତ୍ରାଣ

 

ଧ୍ରୁବ-ପ୍ରହଲାଦ-ନିସ୍ତାରଣ,

 

ନୃପ ନହୁଷ ଅଜାମିଳ ବ୍ୟାଧର

 

ମିତ୍ରତାଭାବ କରିଛ ଜାଣ

।୪।

 

 

ପାଞ୍ଚାଳୀ ହରିଣୀ ଗଜ ଆଦି ଜାଣି

 

ଆରତେ ଡାକିଲେ ସଙ୍କଟରେ

 

ଫଣୀ ପୁଣ୍ଡରୀକ ବେଶଛଦ୍ମ କାକ

 

ଗତି ଦେଲ ଦ୍ରୋହ କଲାଠାରେ

 

ଆହେ ବିଶ୍ୱମ୍ଭର,

 

ଭକ୍ଷିଲ ଶବରୀଚଖା ଫଳ,

 

ମନ୍ଦୋଦରୀ ଇଳା ଅହଲ୍ୟା ପିଙ୍ଗଳା

 

ମାନଙ୍କୁଟି ପରା ଗତି ଦେଲ

।୫।

 

ଶବ୍ଦାର୍ଥ- (୪) ଅଗାଧ ସମୁଦ୍ର-ଅଚଳ ମହିମା, ଟିକାକେ-ଟେକିଲେ, ବ୍ୟାଧଧୀବର । (୫) ଫଣୀ-ସର୍ପ ।

 

ଭାବାର୍ଥ- (୪-୫) ହେ ପ୍ରଭୁ ମୁକ୍ତିଦାତା, ତାପତ୍ରୟ ବିନାଶକ, ଅଚଳ ମହିମାର ଅଧୁକାରୀ, ମହାମେରୁ । ଅଗତିର ଗତି ତୁମେ । ଦମ୍ଭୀ, ଗର୍ବୀ, ଅହଙ୍କାରୀର ଗର୍ବକୁ ତୁମେ ନିମିଷକ ମଧ୍ୟରେ ଦଳି ଦେଇପାର । ଦୂବକୁ ଟେକି କାଠରେ ପରିଣତ କରି ଦେଇପାର । ହେ ଦୀନ ତ୍ରାଣକର୍ତ୍ତା, ଜଗତ ଜନଙ୍କ ଦୁଃଖ ନିସ୍ତାରଣକାରୀ ! ଧ୍ରୁବ, ପ୍ରହଲ୍ଲାଦଙ୍କୁ ନିସ୍ତାର କରି ସ୍ଵର୍ଗ ଲୋକରେ ବସାଇଛି । ଅବିବେକୀ ରାଜା ନହୁଷ, ମହାପାପୀ ଅଜାମିଳ ସହିତ ମିତ୍ରତା ଭାବ ଆଚରଣ କରି ସେମାନଙ୍କୁ ତାରିଛି ।

 

ଘୋର ବିପଦରେ ପଡ଼ି ଦ୍ରୌପଦୀ, ହରିଣୀ, ଗଜ ଭଳି କେତେ ଦୁଃଖୀ ତୁମକୁ ଡାକିଛନ୍ତି-। ତୁମରି ଠାରେ ସର୍ପ, ଗଜ, ଛଦ୍ମବେଶୀ କାକ ଦ୍ରୋହ କରିଛନ୍ତି । ଅଥଚ ତୁମେ ତୁମର ଉଦାରଗୁଣ ଦ୍ୱାରା ସେମାନଙ୍କୁ ମୁକ୍ତି ଦେଲ । ହେ ବିଶ୍ୱମ୍ଭର, ଦରିଦ୍ର ଜନର ବନ୍ଧୁ ! ଶବରୀର ଅଇଁଠାଫଳକୁ ଖାଇଛ, ମନ୍ଦୋଦରୀ, ଇଲା, ଅହଲ୍ୟା, ପିଙ୍ଗଳ, ତାରା ପ୍ରଭୃତିଙ୍କୁ ଗତି ଦେଇଛି ।

 

ଜାମ୍ବବାନ ବଳୀ ମୟ ସୁଗ୍ରୀବର

 

ବିଭୀଷଣର ତ ସୁଖଦାନୀ

 

ରଙ୍କ ଦାମୋଦର ସୁଦାମ ସୁବଳ

 

ମିତ୍ରତା ଭାବକୁ ଅଛ ଘେନି

 

ଆହେ ଲୋକନାଥ,

 

ବିଦୂରର ବାଞ୍ଛା କଲ ସ୍ୱାର୍ଥ,

 

ଦରିଦ୍ରକୁଳ ତିଳକ ସୁଦାମର

 

ପୂର୍ଣ୍ଣ କରିଦେଲ ମନୋରଥ

।୬।

 

 

ଶମନପୁରରୁ ଗୁରୁପୁତ୍ର ଆଣି

 

ଅନ୍ଧକୁ ଦ୍ୱନ୍ଦ୍ୱରେ ଚକ୍ଷୁ ଦେଲ

 

ସେ ମହିମାମାନ ଏବେ କେଣେ ଗଲା

 

ଶ୍ରୀହସ୍ତ ଚକ୍ର କି ହଜାଇଲ

 

ଆହେ ହୃଷୀକେଶ,

 

କ୍ଷମା କର ଦୀନଜନ ଦୋଷ,

 

ଅଭୟ ଚରଣେ ଶରଣ ପଶୁଛି

 

ଅଭିମନ୍ୟୁର ପୁରାଅ ଆଶ

।୭।

 

ଭାବାର୍ଥ- (୬-୭) ହେ ଦୀନଜନ ବାନ୍ଧବ ପ୍ରଭୁ ! ବାଳୀ, ସୁଗ୍ରୀବ, ହନୁମାନ, ମୟ ବିଭୀଷଣ ପ୍ରଭୃତିଙ୍କ ସୁଖଦାତା । ସୁଦାମା, ସୁବଳ ସହିତ ମିତ୍ରତା ଭାବକୁ ଆଚରିଛି । ହେ ଲୋକନାଥ, ବିଦୁରର ମନୋବାଞ୍ଛାକୁ ପୂର୍ଣ୍ଣ କଲ, ଦରିଦ୍ର କୁଳତିଳକ ସୁଦାମାର ମନୋରଥ ପୂର୍ଣ୍ଣ କରିଛ । ତୁମେ ମହାନ୍ । ଯମପୁରରୁ ଗୁରୁପୁତ୍ରଙ୍କୁ ଫେରାଇ ଆଣିଛି । ଦ୍ୱନ୍ଦ୍ୱ ଛଳରେ ବ୍ରାହ୍ମଣର ଅନ୍ଧପୁଅକୁ ଚକ୍ଷୁ ଦାନ କରିଛ । ସେ ମହିମାସବୁ ଏବେ କୁଆଡ଼େ ଗଲା ? ଶ୍ରୀହସ୍ତରୁ ଚକ୍ର କ’ଣ ହଜିଗଲା କି ? ହେ ହୃଷୀକେଶ, ଏ ଦୀନଜନର ଦୋଷକୁ କ୍ଷମାକର । ତୁମର ଅଭୟ ଚରଣରେ ମୁଁ ଶରଣ ପଶୁଛି । ଦୀନ ଅଭିମନ୍ୟୁର ମନୋବାଞ୍ଚକୁ ପୂର୍ଣ୍ଣ କର ।

Image